ଆସ ଜୀବନଧନ ମୋ ପଖାଳ କଂସା
ବିଶ୍ବ ପଖାଳ ଦିବସର ଅନୁଚିନ୍ତା
ଗ୍ରୀଷ୍ମଋତୁର ଆରମ୍ଭ, ଓଡ଼ିଶାପାଇଁ ଦାରୁଣ ସମାଚାର ନେଇ ଆସେ ପ୍ରତିବର୍ଷ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଅଂଶୁଘାତର ଶୀକାର ହୋଇଯାଆନ୍ତି ଏହି ମୃତ୍ୟୁଦର ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ କିନ୍ତୁ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଏହାକୁ ପ୍ରତିରୋଧ କରି ହେଉଛି ଆଉ ସେଇ ଖାଦ୍ୟଟି ହେଉଛି ପଖାଳ ଭାତକୁ ଓଦା କରି ପାଣି କିମ୍ବା ତୋରାଣୀରେ ଭିଜେଇ କରି ରଖିବା ଓ ଖାଇବା ଆମ ଓଡ଼ିଶାର ପ୍ରତ୍ୟେକ ପରିବାରରେ ଅନେକ ଶତାବ୍ଦୀରୁ ରହି ଆସିଛି ପ୍ରତ୍ୟେକ ଓଡ଼ିଆ ଘର ପଖାଳ ବିନା ଅସମ୍ପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ କେବଳ ଓଡ଼ିଶା କାହିଁକି, ଭାରତର ଅନେକ ରାଜ୍ୟ ତଥା ବିଶ୍ବର ଅନେକ ଦେଶରେ ମଧ୍ୟ ଏହି ଖାଦ୍ୟର ପ୍ରଚଳନ ରହିଛି ଏହା ଏକ ସୁଷମ ଓ ପୁଷ୍ଟିକର ଖାଦ୍ୟ ବୋଲି ଡାକ୍ତରମାନେ ଜଣାନ୍ତି ନିକଟ ଅତୀତରେ ଆମେରିକାରୁ ପ୍ରକାଶିତ ଏକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତିକାରେ ଏହିପ୍ରକାରର ଖାଦ୍ୟକୁ ଦେହ ପାଇଁ ଅତ୍ୟନ୍ତ ପୁଷ୍ଟିକର ବୋଲି କୁହାଯାଉଛି ଯୁଗଯୁଗରୁ ଏହା ଓଡ଼ିଆ ମାନଙ୍କର ଏକ ପ୍ରିୟ ଖାଦ୍ୟ ଭାବରେ ଜଣା ବିଷୁବ ବୃତ୍ତର ନିକଟରେ ରହୁଥିବା ହେତୁ ଆମ ଦେଶ ଗ୍ରୀଷ୍ଣପ୍ରବଣ ଦେଶ ଏବଂ ଆମ ରାଜ୍ୟ ବା ସେଥିରୁ ନିସ୍ତାର ପାଇବ କେମିତି ଏହି ପରି ପରିବେଶରେ ରହୁଥିବା ଅଧିବାସୀମାନେ ଅଧିକ ଜଳୀୟଅଂଶ ଧାରଣ କରିବାପାଇଁ ଆବିଷ୍କାର କରିଥିଲେ ଏହି ଅନନ୍ୟ ଉପାୟ, ଯାହା ଏକ ଉପାଦେୟ ଖାଦ୍ୟ ଭାବରେ କାଳାତିକ୍ରମେ ପ୍ରସିଦ୍ଧି ଲାଭ କରି ଆସିଛି ପ୍ରତିଦିନର ବଳକା ଭାତକୁ ତୋରାଣିରେ କିମ୍ବା ପାଣିରେ ବତୁରାଇ ରଖି ପରଦିନ ସକାଳୁ ତାହା ଖାଇବା ଦ୍ବାରା ପେଟ ଥଣ୍ଡା ହେବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ବି ମିଳିଥାଏ ବିଶେଷ କରି ଚାଷବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଅତି ଆବଶ୍ୟକ ଖାଦ୍ୟ କହିଲେ ଚଳେ
ପଖାଳର ବିଭିନ୍ନତା ପ୍ରାନ୍ତ ଓ ଲୋକଚଳଣୀ ଆଧାରରେ ବଦଳିଥାଏ କେହି କେହି ସାଧା ବା ସଜ ପଖାଳ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକେ ବାସି ପଖାଳ ବା ଦହି ପଖାଳ ଖାଇବାକୁ ପସନ୍ଦ କରନ୍ତି ଏହାକୁ ତିଆରି କରିବା ପାଇଁ କୌଣସି ବିଶେଷ ଜ୍ଞାନ ବା କୌଶଳର ଆବଶ୍ୟକତା ନଥିବା ବେଳେ, ଏହା ଆମର ସାମାଜିକ ଚଳଣୀ ସମେତ ଅନ୍ନ ନଷ୍ଟ ନ କରିବାର ପରମ୍ପରାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ଧନୀ ଗରିବ ସମସ୍ତେ ପଖାଳ ତିଆରି କରି ଖାଇପାରିବେ ପଖାଳ ସହ ଯାହା ବି ମିଳିଲେ ଚଳିଯାଏ ଭଜା, ତରକାରୀ, ଶାଗ, ବଡ଼ି, ପାମ୍ପଡ଼, ଆଚାର, ଶୁଖୁଆ, ରାଇ ଇତ୍ୟାଦି ସମସ୍ତ ପ୍ରକାର ଖାଦ୍ୟ ପଖାଳ ସହ ଭଲରେ ଚଳିଯାଏ କେହି କେହି କେବଳ ପଖାଳ ସହ ଲଙ୍କା, ଲୁଣ, ଲେମ୍ବୁ ଆଦି ପକାଇ ଖାଇ ଥାଆନ୍ତି ଏହାର ବିଶେଷତ୍ବ ହେଉଛି ଏହା ବର୍ଷର ଯେ କୌଣସି ସମୟରେ ଖିଆଯାଇପାରେ ଏହି ଖାଦ୍ୟର ପ୍ରଚଳନ ସମସ୍ତ ଓଡ଼ିଶା ସମେତ, ଦକ୍ଷିଣପୂର୍ବ ଏସିଆର ଅନେକ ଦେଶରେ ଦେଖିବାକୁ ମିଳେ
ବର୍ତ୍ତମାନ ଏହାର ବ୍ୟବହାର ଏତେ ମାତ୍ରାରେ ବଢ଼ିଗଲାଣି, ଯେ ଓଡ଼ିଶାର ପ୍ରାୟ ସମସ୍ତ ଛୋଟବଡ଼ ସହରମାନଙ୍କର ହୋଟେଲ୍ ମାନଙ୍କରେ ପଖାଳ ସହିତ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମିଳୁଥିବାର ଦେଖାଗଲାଣି ଖରାଦିନ ଆରମ୍ଭ ନ ହେଉଣୁ, ହୋଟେଲ୍ ମାଲିକ ମାନେ ନିଜ ନିଜ ହୋଟେଲ୍ ସାମନାରେ ସଜ ପଖାଳ, ଦହି ପଖାଳର ବିକ୍ରୀ ହେଉଥିବା କଥା ବିଜ୍ଞାପିତ କଲେଣି ବ୍ରହ୍ମପୁର ସହରରେ ମାତ୍ର ୨୦ ଟଙ୍କାରେ ପେଟପୁରା ପଖାଳ ଖାଇବାକୁ ମିଳେ ଅବଶ୍ୟ ଗ୍ରାହକଙ୍କ ଚାହିଦାକୁ ଆଖିରଖି ମାଲିକମାନେ ପଖାଳକୁ ବି ବିଭିନ୍ନ ପ୍ରକାର ପରିବେଷଣ କରିଲେଣି ଏବଂ ଏହାକୁ ସୁହାଇବା ଭଳି ଅନେକ ଖାଦ୍ୟ ମାଲିକମାନେ ଯୋଗାଇଲେଣି ଶୁଣାଯାଉଛି ଭୁବନେଶ୍ବର, ପୁରୀ ପରି ସହରମାନଙ୍କରେ ଥିବା ତାରକା ହୋଟେଲର ରେସ୍ତୋରାଂ ମାନଙ୍କରେ ମଧ୍ୟ ପଖାଳ ପାଇଁ ବିଶେଷ ପ୍ରବନ୍ଧ ହେଇ ପାରୁଛି ଯା ହେଉ ଦିନକୁ ଦିନ ପଖାଳର ଆଦର ବୃଦ୍ଧି ପାଇବାରେ ଲାଗିଛି
କିଛି ବର୍ଷପୂର୍ବେ ଆମେ ପଖାଳ ସହିତ ସାଧାରଣତଃ ବିଭିନ୍ନ ପ୍ରକାରର ପରିବା ଭଜା, ଯଥା ସଜନା ଛୁଇଁ, ତୋରଡ଼ା, ଜହ୍ନି, ପୋଟଳ, ବାଇଗଣ, ପଣସ, ଆଳୁ, ଶାଗ ଆଦି ଖାଉଥିଲୁ ଏହା ସହିତ ଆଳୁ ଚକଟା ବା ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଜହ୍ନି/ଭେଣ୍ଡି/ଦେଶୀ ପୋଟଳ ପୋଡ଼ା, ଲେମ୍ବୁଲୁଣ, ଜମ୍ବିଲ (ଟଭା / କମଳା), ତେନ୍ତୁଳି ପାଣି, ପିତା ଶୁଖୁଆ, ଚିଙ୍ଗୁଡ଼ି ଶୁଖୁଆ, ଲୁଣି ଶୁଖୁଆ, ମାଛ ଭଜା ଆଦି ବହୁତ ଭଲ ଲାଗେ ଅନେକ ଲୋକ ପଖାଳ ସହ ବଡ଼ିଚୁରା, ପାମ୍ପଡ଼, ଆଚାର ଆଦି ମଧ୍ୟ ଖାଇ ଥାଆନ୍ତି ଏବେ ଅବଶ୍ୟ ସ୍ବାଦ ଓ ସଉକ ବଦଳିଲାଣି, ତେଣୁ ସମୟ ସହ ତାଳ ଦେଇ ଅନେକ ନୁଆ ନୁଆ ଖାଦ୍ୟ ପରଷା ଗଲାଣି କିନ୍ତୁ ପଖାଳ ଯେମିତି ଥିଲା ସେମିତି ଅଛି ବାସି ଭାତକୁ ତୋରାଣୀରେ ପକାଇ ରଖିଲେ ସାମାନ୍ୟ ଖଟା ଲାଗେ ଏବଂ ଏଥିରେ କଞ୍ଚା ଲଙ୍କା ଭାଙ୍ଗିଦେଇ ଟିକେ ଦହି ପକାଇ ଦେଲେ ଯେଉଁ ଶାନ୍ତିକର ଖାଦ୍ୟ ମିଳେ ତାହା ତାରକା ହୋଟେଲର ବିରିୟାନୀରେ ମଧ୍ୟ ମିଳିବ ନାହିଁ
ବିଗତ ଦଶନ୍ଧିରେ ଓଡ଼ିଶାର ପାଣିପାଗରେ ବିପୁଳ ପରିବର୍ତ୍ତନ ଆସିଛି ଏହା ସହିତ ଖରାଦିନେ ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ଆମ ରାଜ୍ୟ ସେମିତିରେ ବି ଉଷ୍ଣ ପ୍ରବଣ ଏହିପରି ପାଣିପାଗକୁ ଠିକ୍ ସୁହାଏ ପଖାଳ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି ସେଥିରେ ପଖାଳ ହେଉଛି ପ୍ରମୁଖ ଗ୍ରାମାଂଚଳରେ ଲୋକମାନେ ସକାଳୁ ସକାଳୁ କଂସାଏ ପଖାଳ ଖାଇଦେଇ ବିଲକୁ ଯାଆନ୍ତି ଏବଂ ଦିପହର ବେଳକୁ ମଧ୍ୟ ପଖାଳ ଖାଆନ୍ତି, ତେଣୁ ସେମାନଙ୍କୁ ଅଂଶୁଘାତ ଜନିତ କଷ୍ଟ ଭୋଗିବାକୁ ପଡ଼େନାହିଁ
ଆଜି ମାର୍ଚ ୨୦ ତାରିଖ, ବିଶ୍ବ ଓଡ଼ିଆ ସମାଜର ଆହ୍ବାନରେ ଅନେକ ବର୍ଷରୁ ଏହି ଦିବସକୁ ବିଶ୍ବ ପଖାଳ ଦିବସ ଭାବରେ ପାଳିତ କରି ଆସୁଛୁ ଆମ ଜନଜୀବନ ସହ ଜଡ଼ିତ ପଖାଳ ପାଇଁ ଦିନଟିଏ ଦେଇ ପାରୁଥିବା ହେତୁ ଆମେ ଆନନ୍ଦିତ ମନେ କରୁଛୁ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ସମ୍ପାଦକ, ଆହ୍ବାନ ଇ-ପତ୍ରିକା
ବୀମା ନଗର, ଆମ୍ବପୁଆ,
ବ୍ରହ୍ମପୁର-୧୦, ଓଡ଼ିଶା
ଦୂରଭାଷ - ୯୦୪୦୯୮୫୪୬୩
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page